ସ୍ମୃତି ରେ ଲକ୍ଷ୍ମଣ l
ଢେଙ୍କାନାଳ ଜିଲ୍ଲା ର ସର୍ବୋଚ୍ଚ ପୁରସ୍କାର କପିଳାସ ସମ୍ମାନପ୍ରାପ୍ତ ଶିକ୍ଷକ ଲକ୍ଷ୍ମଣ ମିଶ୍ର ଜଣେ ନିଆରା ବ୍ୟକ୍ତିତ୍ୱ l ଢେଙ୍କାନାଳ ଜିଲ୍ଲା ଭୁବନ ମାଟିରେ ୨୮ ଜାନୁଆରୀ ୧୯୨୮ ମସିହାରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ମିଶ୍ର ବଙ୍ଗ ବିଭାଜନ ଓ ଭାରତ ସ୍ୱାଧୀନତା ବେଳର ଅଙ୍ଗେ ଲିଭାଇଥିବା କଥା କୁ ନେଇ ୩୫୦ ପୃଷ୍ଠା ର ଉପନ୍ୟାସ ( ଯାତ୍ରା ପଥେ) ପ୍ରକାଶ ପାଇଛି l ଭୁବନ ମାଇନର ସ୍କୁଲ କୁ ଶିକ୍ଷା ଶେଷ ପରେ ଘର ଛାଡି ସୁଦୂର ପୂର୍ବ ବଙ୍ଗ, ଯେଶୋର ଜିଲ୍ଲା ଆଦିଲପୁରା ଗ୍ରାମର ଭୋଳାନାଥ ହାଇସ୍କୁଲ ରେ ଅଧ୍ୟୟନ କରି ଏକା ସାଙ୍ଗରେ ଢାକା ଓ କଲିକତା ବିଶ୍ୱବିଦ୍ୟାଳୟ ରୁ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ୍ କରିଥିଲେ l କଂଗ୍ରେସ ସେବା ଦଳ ର କର୍ମୀ ଭାବେ ଗାନ୍ଧିଜୀ, ପଣ୍ଡିତ ନେହେରୁ, ମୌଲାନା ଆଜାଦ୍, ସର୍ଦାର ପଟେଲ ଙ୍କ ସଂସ୍ପର୍ଶରେ ଆସିଥିଲେ l ୧୯୪୭ – ୪୮ ରେ ବଙ୍ଗଳା କମ୍ୟୁନିଷ୍ଟ ପାର୍ଟି କାର୍ଯ୍ୟକାରେଣୀ ରେ ବି ସ୍ଥାନ ପାଇଥିଲେ l ଦେଶ ବିଭାଜନର ପ୍ରତ୍ୟକ୍ଷଦର୍ଶୀ ଓ ଭୁକ୍ତ ଭୋଗୀ ଭାବେ ଜୀବନ ବଞ୍ଚାଇ ଭୈରବୀ ନଦୀ କୂଳରେ ଥିବା ନିଜର ଘର ବାରି ସବୁଦିନପାଇଁ ଛାଡି ଦେଇ କଲିକତା ଚାଲି ଆସିଥିଲେ l ୧୯୪୯ ରେ କଲିକତା ସଚିବାଳୟ ରେ କିରାଣୀ ଭାବେ କାର୍ଯ୍ୟ ଆରମ୍ଭ କରି ବଙ୍ଗବାସୀ ସାନ୍ଧ୍ୟ କଲେଜ ରୁ ଇତିହାସ ଓ ଅର୍ଥନୀତି ଉପରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ l ୧୯୫୩ ରେ ବିବାହ ବନ୍ଧନରେ ଆବଦ୍ଧ ହୋଇ ୧୯୬୪ ମଇ ୩୦ ତାରିଖ ରେ ପଶ୍ଚିମ ବଙ୍ଗ ସଚିବାଳୟ ରେ ଲୋଭନୀୟ ପ୍ରଥମ ଶ୍ରେଣୀ କର୍ମଚାରୀ ପାହ୍ୟା କୁ ପାଇବା ର ଅବ୍ୟବହିତ ପୂର୍ବରୁ ଚାକିରି ଛାଡି ଚାଲି ଆସିଥିଲେ ଓ ମଣିଷ ଗଢ଼ିବା ନିଶାରେ ଶିକ୍ଷକତା କରିବାକୁ ନିଜ ଜନ୍ମ ମାଟି ରେ ପହଞ୍ଚିଥିଲେ l ୧୯୬୫ ଜୁଲାଇ ରେ ଲକ୍ଷ୍ମୀଧର ମ୍ୟୁନିସିପାଲ ହାଇସ୍କୁଲ ର ସହକାରୀ ଶିକ୍ଷକ ପଦରେ ନିଯୁକ୍ତି ପାଇ ୧୯୭୨ ରୁ ୧୯୯୧ ଦୀର୍ଘ ୨୦ ବର୍ଷ ଧରି ପ୍ରଧାନ ଶିକ୍ଷକ ପଦରେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ l ସ୍ଵଳ୍ପ ଦରମାରେ ପରିବାର ପୋଷଣ କରିବା ସହ ବହୁ ଗରିବ ଓ ଅସହାୟ ଛାତ୍ର ଙ୍କୁ ନିଜ ପାଖରେ ରଖି ବିନା ପାରିଶ୍ରମିକରେ ପାଠ ପଢ଼ାଉଥିଲେ l